ବାଳକେ ମୋର ବୋଲ କର


ନଂ-୭୫୧                                                                                                                                                
                                          ବାଳକେ ମୋର ବୋଲ କର
ଆଜି କାଲି ଯେଉଁଠି “ମା” ଡ଼ାକକୁ ମଣିଷ ଭୂଲି ସାରି ମମି ବା ବୋଉ କରି ସାରିଲାଣି, ଯେଉଁଠି ମାଇପ(ସ୍ତ୍ରୀ) ଆସିସାରିଲା ପରେ ମା’ ସଂପୂର୍ଣ୍ଣ ରୂପେ ମନମନ୍ଦିରରୁ ବାହାରି ଯାଇ ଗୁହାଳ ଘରେ ବା ବାଡ଼ି ପଟେ ରହିଲାଣି, ସେଇଠି ପୂର୍ବର ସେହି ହାସ୍ୟମୟୀ ଲାସ୍ୟମୟୀ ହାତ ଧରି ଚାଲି ଶିଖେଇ ଥିବା, ଓଠ ଧରି କଥା କୁହେଇ ଶିଖେଇ ଥିବା , ଛାତିର ରକ୍ତ ନିଗାଡ଼ି ଅମୃତ ଖୁଏଇ ଜୀବନ ଦେଇ ବଞ୍ଚେଇଥିବା ମା’ର ରୂପ କଳ୍ପନା କରିବା ଅସମ୍ଭବ ମନେ ହେଉଛି। ଯେଉଁଠି ସୁଖ ପାଇଁ ମଣିଷ ମଣିଷ ନିଜର ସିଦ୍ଧାନ୍ତ ମାନ ସମ୍ମାନ ସବୁକୁ ଭୁଲି ଯିବାକୁ ତୟାର ସେଇଠି  ମା’ ବା କେତେକର। ଅନ୍ୟ ଦୃଷ୍ଟିରୁ ଦେଖିଲେ ଯେଉଁଠି ମା’ଟିଏ ନିଜର ସୈାନ୍ଦର୍ଯ୍ୟ ନଷ୍ଟ ହୋଇ ଯିବା ଭୟରେ ତା ପିଲାଟିକୁ କ୍ଷିର ନ ଖୁଏଇ ବୋତଲ ଧରେଇ ଦିଏ, ମା’ କାନିରୁ ବାହାରକୁ ଚାହିଁ ନଥିବା ଛୁଆଟିର ପରଶ ଯାଗାରେ କ୍ଲବ ବା ହୋଟେଲରେ ଅନ୍ୟ କାହାର ପରଶ ଚାହୁଁଥାଏ, ସେଠି ସେହି ପିଲାଟି ଆଉ ବା କ’ଣ କରନ୍ତା। ମା ଛୁଆର ଏ ଅବକ୍ଷୟମାନ ସଂପର୍କ ମଧ୍ୟରେ ମଧ୍ୟ ମା’ ବଞ୍ଚିଛି। ମା’ ହିଁ ମା’। ସେ କେବେ ଇଞ୍ଚେ ବି ଏପଟ ସେ ପଟ ହୋଇ ନ ପାରେ। ତା’ର ସମ୍ମାନକୁ କେବେବି କମ୍ ବେଶି ଚିନ୍ତା ବି କରାଯାଇ ନ ପାରେ, ଏହି ଭାବନାର ପୁଷ୍ଟି ପାଇଁ ସତ୍ୟ ଘଟଣାଟିଏ କହୁଛି। ଘଟଣାଟି ଏହିପରି-
ଉତ୍ତର ମାଡ଼୍ରାସର ଗୋଟିଏ ପରିବାର। ପରିବାର କହିଲେ ଗୋଟିଏ ଦୁଃଖି ପରିବାର। ମଧ୍ୟବିତ୍ତ ପରିବାରଟି ଏଇଥିପାଇଁ ଦୁଃଖି ଯେ ପରିବାରର ଦୁଇଟି ଯାକ ପୁଅ ଥିଲେ ଅନ୍ଧ। ଦୁଇ ସନ୍ତାନର ଜନନୀ ଥିଲେ ସତତିରିଶ ବର୍ଷ ବୟସ୍କା ତାମିଲ ସେଲଭି। ଦୁଇ ପୁଅ ପାଇଁ ତାଙ୍କର ଅନେକ ଚିନ୍ତା। କେତେ ଦିଅଁ ଦେବତା କରି ପାଇଥିଲେ ଏ ଦୁହିଁଙ୍କୁ। ଭଗବାନ ଦେଲେ ତ ଦେଲେ ଦୁଇଟି ରତ୍ନ, ହେଲେ ଦୁହିଁଙ୍କର ଅମୂଲ୍ୟ ରତ୍ନ ଦୃଷ୍ଟି ଶକ୍ତି ଛଡ଼େଇ ନେଇଥିଲେ କାହିଁକି ତାହା ମା’ ତାମିଲ ସେଲଭିଙ୍କୁ ଅଧିକ ବ୍ୟଥିତ କରୁଥିଲା।
ଭଗବାନଙ୍କ ଉପରେ ବିଶ୍ୱାସ ରଖି ସେ ଏହାର ପ୍ରତିକାର ପାଇଁ ଅନେକ ଚେଷ୍ଟା କଲେ। ଚକ୍ଷୁଦାନ ପାଇଁ ଅନେକଙ୍କର ଦ୍ୱାରସ୍ଥ ହେଲ। ଅନେକ ସ୍ୱେଚ୍ଛାସେବୀ ସଂସ୍ଥାର କବାଟ ଠକ୍ ଠକ୍ କଲେ ହେଲେ ଦୁଃଭାର୍ଗ୍ୟକୁ ସବୁଠି ନିରାଶ ହେଲେ। ମା’ ମନ। ତଥାପି ସେ ଭାଙ୍ଗି ନ ପଡ଼ି କେମିତି ଦୁହିଁଙ୍କୁ ସଂସାରର ରୂପ ଦେଖାଇବେ ବୋଲି ବଦ୍ଧ ପରିକର ହେଲେ।  
ପିଲା ଦୁହିଁଙ୍କୁ ଅନ୍ଧ ମୂକ ବଧିର ବିଦ୍ୟାଳୟରେ ପାଠ ପଢ଼ାଇଲେ। ପିଲାଙ୍କ ବୟସ ବୃଦ୍ଧି ସଂଙ୍ଗେ ସଂଙ୍ଗେ ତାଙ୍କର ବ୍ୟସ୍ତତା ଯେତିକି ବଢ଼ୁଥିଲା ତାଠାରୁ ତାଙ୍କର ଚେଷ୍ଟା ମଧ୍ୟ ସେତିକି ବଢ଼ୁଥିଲା। ସେ ଜାଣିବାକୁ ପାଇଲେ ଯେ ଚକ୍ଷୁ ବ୍ୟାଙ୍କ ଗୋଟିଏ ଅଛି ଯେଉଁଠୁ ଚକ୍ଷୁ ମିଳି ପାରିବ। ତାଙ୍କ ନିକଟକୁ ଯାଇ ବୁଝିଲେ ତାଙ୍କ ପରି ଅନେକ ଲୋକ ଚକ୍ଷୁ ପାଇଁ ଅପେକ୍ଷା କରି ଅଛନ୍ତି। ସେଠାରୁ ଫେରିବା ପରେ ତାଙ୍କର ଜିଦ୍ ଆହୁରି ବଢ଼ିଗଲା। ସେ ଚକ୍ଷୁବ୍ୟାଙ୍କକୁ ପୁଣି ଯାଇ ନିଜର ଦୁଇ ଆଖି ନିଜର ଦୁଇ ପୁଅଙ୍କୁ ଦେବା ପାଇଁ ଇଚ୍ଛା ପ୍ରକାଶ କଲେ। ହେଲେ ଚକ୍ଷୁଦାନ ପାଇଁ ଯଦି ନାମ ରେଜିଷ୍ଟ୍ରେସନ କରିଥିବ ତେବେ କେବଳ ମୃତ୍ୟୁ ପରେ ଯାଇ ତାଙ୍କର ଚକ୍ଷୁ ଦୁଇଟିକୁ ତାଙ୍କ ସନ୍ତାନଙ୍କୁ ଦିଆଯାଇପାରିବ ବୋଲି ଆଇବ୍ୟାଙ୍କର କର୍ତ୍ତୃପକ୍ଷ କହିଲେ।
ତୁରନ୍ତ ସେହିଦିନ ସେ ସେଠାରେ ନିଜ ନାମ ପଞ୍ଜିକରଣ କରାଇ ଘରକୁ ଫେରିଲେ ଏବଂ କ’ଣ କରିବେ ବୋଲି ଦୃଢ଼ ନିଶ୍ଚୟ ହୋଇ ତା’ପର ଦିନ ଘର ଛାତରେ ରଶିଲଗାଇ ଆତ୍ମହତ୍ୟା କଲେ। ତାଙ୍କର ଏ କାର୍ଯ୍ୟରେ ଯଦିଓ ଆଇବ୍ୟାଙ୍କ କର୍ମଚାରୀମାନେ ଗଭୀର ମର୍ମାହତ ହେଲେ ତଥାପି ତାଙ୍କର ଇଚ୍ଛା ଅନୁଯାଇ ଚକ୍ଷୁ ଦୁଇଟିକୁ ତାଙ୍କର ଦୁଇ ପୁତ୍ରଙ୍କୁ ଦାନ କରି ଦେଲେ। ଯାହାଫଳରେ ସେମାନେ ଦୁନିଆଁ ଦେଖିବାକୁ ସକ୍ଷମ ହେଲେ। ଏହା ମା’ ଶବ୍ଦ ହିଁ ତା ଭିତରେ ଥିବା ମମତାର ଏକ ନିଚ୍ଛକ ପରିପ୍ରକାଶ ବୋଲି ପୁନର୍ବାର ପ୍ରମାଣିତ କଲା।
ଏଣୁ ମା’ ଭଲ ହେଉ, ମନ୍ଦ ହେଉ; କଳଙ୍କିନି ହେଉ ବା ପବିତ୍ର ହେଉ; ମା’ ଯେ ମା’ ଏହା ଚିନ୍ତା କରି ମା’କୁ ତାର ବୃଦ୍ଧାବସ୍ଥାରେ ଯେପରି କୈାଣସି ପ୍ରକାର ଦୁଃଖ ନ ପହୁଁଚେ ସେଥିପ୍ରତି ଆମେ ସମସ୍ତେ ଦୃଷ୍ଟି ଦେବା ଦରକାର।


 ନଂ-୭୫୨                                                                                                                      
                                                       ବାଳକେ ମୋର ବୋଲ କର
ଯେଉଁମାନେ ଜୀବନର ପ୍ରତିଟି ପଦକ୍ଷେପରେ ଚେଷ୍ଟା କରି ସଫଳତା ପାଇଯାଉଛନ୍ତି ପ୍ରାୟ ସେମାନଙ୍କର କର୍ମରେ ବିଶ୍ୱାସଟା ବଢ଼ି ଯାଉଛି। ସେମାନେ କୁହନ୍ତି “ଅପନା ହାଥ ଜଗନ୍ନାଥ“। ହେଲେ ଅନେକ ଚେଷ୍ଟା କରିବା ସତ୍ତ୍ୱେ ଯିଏ ସଫଳତା ପାଇ ପାରୁନି ସିଏ ବାଧ୍ୟ ହୋଇ ଶେଷରେ କହୁଛି “ବୋଧହୁଏ ମୋ ଭାଗ୍ୟରେ ନାହିଁ”। ସେ ଧିରେ ଧିରେ ଭାଗ୍ୟବାଦୀ ପାଲଟି ଯାଉଛି। କର୍ମବାଦୀଟିଏ ହେଉ ବା ଭାଗ୍ୟବାଦୀଟିଏ  ସମସ୍ତଙ୍କର ଅବଚେତନ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରେ ଯେ ସତେ କ’ଣ ଭଗବାନ ବୋଲି କେହି ଜଣେ ଅଛନ୍ତି? ସତରେ କ’ଣ ତାଙ୍କ ଉପରେ ନିର୍ଭର କରିଦେଲେ ସେ ଆମର ସବୁ କାମ କରିଦେବେ? ଏପରିକି ଈଶ୍ୱରଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ମଣିଷଟିଏ ବି କହୁଥିବାର ଦେଖାଯାଏ ଯେ ଈଶ୍ୱର କେବଳ ଆମ ପଛରେ ସିନା ରହିବେ ସେ କ’ଣ ଆସି ଆମର ଦୈନନ୍ଦିନ କାମ ସବୁ କରିଦେବେ କି? ତେବେ ଏଇଠି ଗୋଟିଏ କଥା ମନକୁ ଆସେ ଯେ ଗୀତାରେ ଯେଉଁ ଭଗବାନ କୃଷ୍ଣ ସ୍ୱୟଂ କହିଛନ୍ତି ଯେ-
ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ।
ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ।।୯/୨୨
ଏହା କ’ଣ କେବଳ ମନ ବୁଝେଇବାକୁ ନା ଏଥିରେ କିଛି ସତ୍ୟତା ଅଛି? ଏହି କଥାକୁ ନେଇ ଜଣେ ବିଶିଷ୍ଟ ଜ୍ଞାନୀ ତଥା ଭକ୍ତଙ୍କ ଜୀବନରେ ଘଟିଥିବା ଘଟଣାଟିଏ ଏଠି ଅବତାରଣା କରାଯାଉଛି।
                ଶ୍ରୀମଦ୍ ଭଗବଦ୍ ଗୀତାର ଶ୍ରୀରଧରସ୍ୱାମୀଙ୍କ ଟୀକା ବିଷୟରେ କିଏ ନ ଜାଣେ? ତାଙ୍କ ଟୀକା ଆଜି ଯାଏଁ ମିଳୁଥିବା ଟୀକା ମାନଙ୍କ ମଧ୍ୟରୁ ଅନ୍ୟତମ। ନଦୀକୂଳରେ ଏକ ନିର୍ଜ୍ଜନ ସ୍ଥାନରେ ତାଙ୍କର ଆଶ୍ରମ। ସାଥିରେ ପତିବ୍ରତା ପତ୍ନୀ। ଶ୍ରୀଧର ସ୍ୱାମୀ ଶ୍ରୀଗୀତାଙ୍କର ଟୀକା ଲେଖିବାରେ ବ୍ୟସ୍ତ ଥାନ୍ତି।
                  ଟୀକା କରୁ କରୁ ନବମ ଅଧ୍ୟାୟର ବାଇଶତମ ଶ୍ଲୋକରେ ସେ ଅଟକି ଗଲେ। ସେଥିରେ ଥିଲା, ଯେଉଁ ଅନନ୍ୟ ପ୍ରେମୀ ଭକ୍ତଜନମାନେ ମୋତେ ନିରନ୍ତର ଚିନ୍ତନ ପୂର୍ବକ ନିଷ୍କାମଭାବେ ଭଜନ କରନ୍ତି, ନିତ୍ୟନିରନ୍ତର ମୋର ଚିନ୍ତନ କରୁଥିବା ସେହି ପୁରୁଷମାନଙ୍କର ଯୋଗକ୍ଷେମ ମୁଁ(ପ୍ରଭୁ) ନିଜେ ବହନ କରେ। ଏହି ଯୋଗକ୍ଷେମ ବହନ କରିବାର ଅର୍ଥ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ତଥା ପ୍ରାପ୍ତ ବସ୍ତୁର ରକ୍ଷା କରିବା। ତେବେ ତାଙ୍କ ମନରେ ସଂନେ୍ଦହ ଆସିଲା ଯେ ଭଗବାନ ସିନା ଭକ୍ତର ସାଧନା ସମ୍ବନ୍ଧୀୟ ଯୋଗକ୍ଷେମ ବହନ କରନ୍ତି କିନ୍ତୁ ସେ କ’ଣ ଜୀବନ ନିର୍ବାହ ଉପଯୋଗୀ ଲୈାକିକ ଯେଗକ୍ଷେମ ମଧ୍ୟ ବହନ କରନ୍ତି! ଏହି ପ୍ରଶ୍ନ ତାଙ୍କ ମନକୁ ଆନେ୍ଦାଳିତ କଲା। ଏହା ସହିତ ସେ ଭାବିଲେ ସାରା ସଂସାରକୁ ଚଳେଇଲାବାଲା ସେ ସମସ୍ତଙ୍କର ବୋଝ ହୋହିବାର ଆବଶ୍ୟକତା କ’ଣ? ତାଙ୍କ ନିଦେ୍ର୍ଦଶରେ ବୋଝ ବୋହିବାକୁ ତ କୋଟି କୋଟି ଲୋକ ତୟାର। ଏହା ଚିନ୍ତା କରି ସେ ମନେ କଲେ ବୋଧେ ଉପରୋକ୍ତ ଶ୍ଲୋକ କହିବା ବେଳେ ଭଗବାନ ଶ୍ରୀକୃଷ୍ଣ କିଛି ଭୁଲ କହିଦେଇଛନ୍ତି। ସେ “ବହାମ୍ୟହମ” ସ୍ଥାନରେ ‘ଦଦାମ୍ୟହମ’ କହିବାର ଥିଲା। କିଛି ନିର୍ଣ୍ଣୟ ନେଇ ନ ପାରି ସେ “ବହାମ୍ୟହମ” ଶବ୍ଦ ତଳେ ଗାରଟିଏ ପକାଇ ସେଦିନର ଟୀକା ଲେଖା କାମ ସେଇଠି ବନ୍ଦ କରି ନଦୀକୁ ସ୍ନାନ ନିମନ୍ତେ ଚାଲିଗଲେ।
                କିଛି ସମୟ ପରେ ଛୋଟିଆ ବାଳକଟିଏ ଖେଚୁଡ଼ି ଡ଼ାଲାଟିଏ ଧରି ଆସି ଶ୍ରୀଧର ସ୍ୱାମୀଙ୍କର କୁଡ଼ିଆ ସାମ୍ନାରେ ପହଁଚି ମା ମା ବୋଲି ଡ଼ାକ ଛାଡ଼ିଲା। ଶ୍ରୀଧର ଙ୍କର ସ୍ତ୍ରୀ ବାହାରକୁ ବାହାରିବାରୁ ତାଙ୍କୁ ବାଳକଟି କହିଲା ମା ବାଟରେ ସ୍ୱାମୀଜୀ ମୋତେ ଏ ଖେଚୁଡ଼ି ଆପଣଙ୍କୁ ଦେି ଦେବାକୁ କହିଲେ। ମୁଁ ନାମଙ୍ଗ ହେବାରୁ ଦେଖୁନ ମୋ ମୁହଁକୁ କିପରି ମୁଥ ପକେଇ ମୋ ଓଠ ଫଟେଇ ଦେଇଛନ୍ତି। ଯାହା ହେବାର ହେଲା ଏବେ ତୁମ ଖେଚୁଡ଼ି ରଖ ମୁଁ ଯାଏ ତେଣେ ମୋର କେତେ କାମ।
                ଶ୍ରୀଧର ସ୍ୱାମୀ ଆସିଲା ବେଳକୁ ପିଲାଟି ଚାଲିଯାଇଛି। ହେଲେ ପତ୍ନୀ ପିଲାଟି କଥା କେବଳ ଭାବୁଛନ୍ତି। ସ୍ୱାମୀ ଆସିବାରୁ ସେ କହିଲେ ହଇହେ ଏଣେ ଗୀତାର ଟୀକା ଲେଖୁଛ,ସାଧୁଙ୍କ ପରି ବେଶଧାରଣ କରି ଚିକ୍କଣ କଥା କହୁଛ ହେଲେ କେଡ଼େ ସୁନ୍ଦର ପିଲା, ମୁଥ ମାରି ତା ଓଠ ଫଟେଇ ଦେଇଛ। ସ୍ୱାମୀଜୀ କିଛି ବୁଝି ନ ପାରି କଥା କ’ଣ ବୋଲି କହିବାରୁ, ପତ୍ନୀ ସବୁକଥା କୋଲି କହିଲେ। ସମସ୍ତ ବିଷୟ ଶୁଣି ଶ୍ରୀଧର ସ୍ୱାମୀ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ ଏବଂ କହିଲେ ପ୍ରଭୁ ତୁମେ ମୋ ମନର ଭ୍ରମ ଦୂର କରିବା ପାଇଁ ମୋ ପାଇଁ ଖେଚୁଡ଼ି ମୁଣ୍ଡେଇ ଆସିଲ। ମୁଁ ମୁର୍ଖ ଆପଣଙ୍କୁ କେତେ କଷ୍ଟ ନ ଦେଲି ସତେ!
                ଏଣୁ ଭଗବାନ ଭକ୍ତର ଯେ ସବୁ ଦାୟିତ୍ୱ ନିଅନ୍ତି ଏଥିରେ ଅବିଶ୍ୱସନୀୟ କଥା କିଛି ନାହିଁ। ମୂଳ କଥା ହେଲା ଆମେ ସେହି ସ୍ତରକୁ ଯିବାକୁ ଯୋଗ୍ୟ କି ନୁହଁ।

ନଂ-୭୫୩
                                   ବାଳକେ ମୋର ବୋଲ କର
ତୁଳସୀ ଦାସ କୁହନ୍ତି-
                                                ଉଁଚ ନିବାସ ନିଚ କରତୁତୀ।
                                                ଦେଖି ନ ସକଇ ପରାଇ ବିଭୂତି।।
ଅର୍ଥାତ ଉଚ୍ଚପଦରେ ଶୁଶୋଭିତ କୈାଣସି ବ୍ୟକ୍ତିର କାର୍ଯ୍ୟ ଯଦି ନିଚ ହୋଇଯାଏ, ଯଦି ସେ ପରର ଉନ୍ନତିକୁ ସହ୍ୟ କରି ନ ପାରଇ। ଜଣେ ଉଚ୍ଚପଦସ୍ଥ ଅଫିସର ତାର ଜଣେ ଅଧିନସ୍ଥ କର୍ମଚାରୀର କୈାଣସି କ୍ଷେତ୍ରରେ ଉନ୍ନତିରେ ଯଦି ଖୁସି ହୋଇ ପାରୁ ନାହିଁ ତେବେ ସେ ନିଜକୁ ନିଜେ କଷ୍ଟ ପାଏ ଏବଂ ସେ ବାସ୍ତବରେ ସେହି ପଦ ପାଇଁ ଯୋଗ୍ୟ ନୁହେଁ। ଜଣେ ଗୁରୁ ଯଦି ତାର ଶିଷ୍ୟର ଉନ୍ନତିରେ ଶଙ୍କିତ ହୁଏ ତେବେ ସେ ଗୁରୁ ନୁହେଁ। ଆଜିକାଲିର ବସ୍ତୁବାଦୀ ଦୁନିଆଁରେ ଯେଉଁଠି ତଣ୍ଟିକଟା ପ୍ରତିଯୋଗିତା ଚାଲିଛି ସେଠି ମଣିଷ କେବଳ ନିଜର ଉନ୍ନତି ଆଶା କରୁଛି। ଜଣେ ଲୋକ ତ ସବୁ କ୍ଷେତ୍ରରେ କଦାପି ଉନ୍ନତି କରି ପାରିବ ନାହିଁ ଏଣୁ ଅନ୍ୟର ଉନ୍ନତିରେ ସେ କେବଳ ଭିତରେ ଭିତରେ ଜଳି ନିଜର ଦକ୍ଷତାକୁ ନଷ୍ଟ କରିବା ସାର ହୁଏ।ପରିବାରର କେହି ବି ଉନ୍ନତି କଲେ ପରିବାରର ସମସ୍ତେ ଆନନ୍ଦିତ ହେବା କଥା। ଗାଁର ଜଣକର ଉନ୍ନତିରେ ସମସ୍ତ ଗ୍ରାମବାସୀ ଉଲ୍ଲସିତ ହେବା କଥା। ସେହିପରି ରାଜ୍ୟ ତଥା ଦେଶର କଥା। କିନ୍ତୁ ଆଜିକାଲି ଏହାର ବିପରୀତ ଅଧିକାଂଶ ସ୍ଥାନରେ ପରିଲକ୍ଷିତ ହେଉଛି। ଏ ସମ୍ପର୍କରେ ଗପଟିଏ କହୁଛି ଗପଟି ଏହିପରି-
                ପ୍ରାଚୀନ କାଳରେ ମଗଧର ରାଜା ବିରୂପସେନଙ୍କର ପାଟ ହାତୀ ରୂପେ ଶୋଭା ପାଉଥିଲେ ଶ୍ୱେତହସ୍ତୀ ରୂପେ ଜନ୍ମ ଗ୍ରହଣ କରିଥିବା ବୋଧିସତ୍ତ୍ୱ। ଥରେ ଏକ ପର୍ବ ଦିନରେ ସାରା ରାଜ୍ୟ ଇନ୍ଦ୍ରପୁରୀ ପରି ସଜ୍ଜା ହୋଇଥାଏ। ସେଦିନ ଶୋଭାଯାତ୍ରାରେ ଖୁବ ସୁନ୍ଦରଭାବେ ସଜ୍ଜା ହୋଇଥିବା ପାଟହସ୍ତୀ ଉପରେ ବସି ରାଜା ପରିକ୍ରମାରେ ବାହାରିଥାନ୍ତି। ରାସ୍ତାରେ ଶୋଭାଯାତ୍ରା ଜୁଆଡ଼େ ଯାଉଥାଏ ସମସ୍ତେ ହାତୀର ସୈନ୍ଦର୍ଯ୍ୟ ନିରୀକ୍ଷଣ କରି ତାର ଖୁବ ପ୍ରଶଂସା କରୁଥାନ୍ତି। ହାତୀର ଏ ପ୍ରଶଂସା ଶୁଣି ରାଜା ମନେ ମନେ ରାଗିଯାଇ ଭାବିଲେ ସମସ୍ତେ ମୋର ପ୍ରଶଂସା କରିବା କଥା କିନ୍ତୁ ସେପରି ନ କରି ସମସ୍ତେ ଏହାତୀର ପ୍ରଶଂସା କରୁଛନ୍ତି। ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିବା ଏ ହାତୀକୁ ସଂହାର କରିବାକୁ ପଡ଼ିବ, କାରଣ ଏ ଥିବା ଯାଏଁ ମୋ ପ୍ରତି କେହି ଦୃଷ୍ଟି ଦେବେ ନାହିଁ।
                ଏହି ବିଚାର ମନରେ ରଖି ସେ ମାହୁନ୍ତକୁ ଡାକି ହାତୀକୁ କଣ କଣ ଶିକ୍ଷା ଦିଆଯାଇଛି ବୋଲି ଯାଣିବାକୁ ଚାହିଁଲେ। ମାହୁନ୍ତ କହିଲେ, “ମହାରାଜ, ତାକୁ ପାଟହାତୀ ହେବାର ଯୋଗ୍ୟ ଶିକ୍ଷା ସବୁ ଦିଆ ଯାଇଛି।” ହେଲେ ରାଜା ମାହୁନ୍ତଙ୍କ କଥାରେ ବିଶ୍ୱାସ ନ କରି ହାତୀକୁ କଣ କଣ ଶିକ୍ଷା ଦିଆ ଯାଇଛି ନିଜେ ତାହା ଦେଖିବାକୁ ଚାହିଁ ହାତୀକୁ ପାହାଡ଼ ଉପରକୁ ଚଢ଼ାଇବାକୁ ନିଦେ୍ର୍ଦଶ ଦେଲେ। ହାତୀ ଅକ୍ଳେଶରେ ପାହାଡ଼ ଚଢ଼ିଯିବା ପରେ ତାକୁ ପାହାଡ଼ ତୀଖରେ ରଖାଇ ସେଠାରେ ତିନି ଗୋଡ଼ରେ ଛିଡ଼ା ହେବାକୁ କହିଲେ। ମାହୁନ୍ତ ହାତୀକୁ ଆଉଁସୀ ଦେଇ କହିଲା, ବାବା ରାଜାଙ୍କ ଆଦେଶ ତୁମେ ତିନି ଗୋଡ଼ରେ ଛିଡ଼ା ହୁଅ। ହାତୀ ସେପରି କରିବାରୁ ରାଜା କହିଲେ, “ସାବାସ! ବହୁତ ସୁନ୍ଦର।” ଏବେ ହାତୀକୁ କେବଳ ଆଗ ଗୋଡ଼ରେ ଛିଡ଼ା କରାଇଲ। ମାହୁନ୍ତ ଇଶାରା କରିବା ମାତ୍ରେ ହିଁ ହାତୀ ଆଗ ଗୋଡ଼ରେ ଛିଡ଼ା ହେଲା। ଏ କଥା ଦେଖି ରାଜା ପୁଣି କହିଲେ, ହାତୀ କଣ କେବଳ ପଛ ଗୋଡ଼ରେ ଛିଡ଼ା ହୋଇ ପାରିବ? ହାତୀ ସାଙ୍ଗେ ସାଙ୍ଗେ ପଛ ଗୋଡ଼ରେ ଛିଡ଼ା ହେଲା। ରାଜା ପଚାରିଲେ ହାତୀ କଣ ଗୋଟିଏ ଗୋଡ଼ରେ ଠିଆ ହୋଇ ପାରିବ? ବେଶ କଷ୍ଟରେ ହାତୀ ମଧ୍ୟ ଗୋଟିଏ ଗୋଡ଼ରେ ଠିଆ ହେଲା। ଏତେ କଷ୍ଟ ଦେଇ ମଧ୍ୟ ହାତୀ ପାହାଡ଼ ଶିଖରୁ ନ ପଡ଼ିବାର ଦେଖି ରାଜା ମନ ମଧ୍ୟରେ ଖୁବ ଚିନ୍ତିତ ହୋଇ କହିଲେ, ହାତୀ ଯେପରି ପାଦରେ ପାହାଡ଼ ଉପରେ ଚାଲୁଛି ସେପରି ହାୱା ଉପରେ ମଧ୍ୟ ଚଲାଅ ତ। ଏହା ମୋର ଶେଷ ପରୀକ୍ଷା ଓ ଆଜ୍ଞା।ଏଭଳି ଅଦ୍ଭୁତ ଆଜ୍ଞା ଶୁଣି ମାହୁନ୍ତ ବୁଝିନେଲା ରାଜାଙ୍କର ମତଲବ କଣ। ସେ ଟିକିଏ ବି ବିଚଳିତ ନ ହୋଇ ହାତୀ କାନରେ କହିଲା, ରାଜା ଏପରି ଏକ ଯୋଜନା ଫାନ୍ଦି ଆସିଛନ୍ତି ଯଦ୍ୱାରା ସେ ଚାହାନ୍ତି ତୁ ପାହାଡ଼ରୁ ଖସି ମରିଯିବୁ। ରାଜା ତୋ ମହତ୍ତ୍ୱ ଜାଣି ନାହାନ୍ତି। ଯଦି ତୋର ଶକ୍ତି ଥାଏ ତ ଏହି ଶିଖରରୁ ପାଦ ବଢ଼ାଇ ହାୱାରେ ଆଗକୁ ଚାଲ। ଅଦ୍ଭୁତ ଶକ୍ତି ସମ୍ପର୍ଣ୍ଣ ସେ ହାତୀ ହାୱାରେ ଚାଲିବାକୁ ଲାଗିଲା। ମାହୁନ୍ତ ଏହା ଦେଖି କହିଲା , ହେ ରାଜା ଏ ହାତୀ ସାଧାରଣ ହାତୀ ନୁହେଁ, ଦେବତା ଅଂଶରେ ଏହାର ଜନ୍ମ। ଆପଣଙ୍କ ପାଟ ହାତୀ ହେବା ଏହାର ଯୋଗ୍ୟ କାର୍ଯ୍ୟ ନୁହେଁ। ପ୍ରକୃତ ମୂଲ୍ୟାଙ୍କନ କରି ନ ପାରି ମଣିଷ ନିଜର ମୂର୍ଖତା ହିଁ ପ୍ରକାଶ କରେ।
                   ହାତୀ ଯାଇ କାଶୀ ରାଜ୍ୟରେ ପହଁଚିଲା। କାଶୀରାଜା ହାତୀର ଏ ଅଦ୍ଭୁତ କ୍ଷମତା ଦେଖି ତାଙ୍କୁ ଅନୁରୋଧ ପୂର୍ବକ ପାଟହାତୀ କରିବାର ଇଚ୍ଛା ପ୍ରକାଶ କଲେ। ହାତୀ ତାହା ଗ୍ରହଣ କରିବାରୁ ତାକୁ ରାଜ୍ୟର ଏକ ତୃତୀୟାଂଶ ପ୍ରଦାନ କଲେ। ଏହାପରେ କାଶୀର ବୈଭବ ବଢ଼ିବାକୁ ଲାଗିଲା। ଏ ସମସ୍ତ ଖବର ପାଇ ହାତୀକୁ ଏତେ ସମ୍ମାନ ପ୍ରଦାନ କରାଯିବା ମଗଧ ରାଜାଙ୍କୁ ଭଲ ଲାଗିଲା ନାହିଁ। ସେ ଅହଂକାରରେ କାଶୀ ରାଜ୍ୟ ଆକ୍ରମଣ କଲେ। ହେଲେ ଯୁଦ୍ଧରେ ହାତୀରୂପୀ ବୋଧିସତ୍ତ୍ୱ ସମସ୍ତଙ୍କୁ ପରାସ୍ତ କଲେ।
                ଏଣୁ ଅଧିନସ୍ଥ ବ୍ୟକ୍ତିମାନଙ୍କର ବାସ୍ତବ ମୂଲ୍ୟାଙ୍କନ କରି ତା ନିମନ୍ତେ ପୁରସ୍କୃତ କରିବା ଦରକାର। ସେମାନଙ୍କ ଉନ୍ନତିକୁ ନିଜର ଉନ୍ନତି ବୋଲି ଧରି ନେଲେ ସମ୍ମାନ ବୃଦ୍ଧି ହେବା ସୁନିଶ୍ଚିତ।

No comments:

Post a Comment